Friday 14 April 2017

ଖଳି ଯାତ୍ରା (ଝାମୁ ଯାତ୍ରା)

ମୋ ଗାଁ ର ଅସ୍ଥିତ୍ୱ କୌଣସି ରାଜନୈତିକ ବା ଆର୍ଥିକ କାରଣରୁ ସ୍ୱଚ୍ଛଳ ନୁହେଁ, ଅଛି ଗୋଟିଏ କାରଣ, ଯିଏ କି ମୋ ଗାଁ କୁ କିଛି ପରିମାଣରେ ଲୋକଲୋଚନକୁ ଆଣିପାରୁଥିଲା, ଝାମୁ ଯାତ୍ରା , ଆଖ ପାଖ ସାତ ଖଣ୍ଡ ଗାଁ ରେ ଥିବା ଏକମାତ୍ର ମଙ୍ଗଳା ମନ୍ଦିର | ପ୍ରତିବର୍ଷ ବୈଶାଖ ମାସ ରେ ହୁଏ ପଣା ସଂକ୍ରାନ୍ତି ଓ ସେଇଦିନ ହୁଏ ମୋ ଗାଁ ରେ ଝାମୁ ଯାତ୍ରା | ଝାମୁ ଯାତ୍ରା ର କିଛି ଅଂଶ ମୋ ଗାଁ ଭାଷା ରେ |

ମହାନଦୀ ର ଗୋଟେ ଶାଖା ଯାଏ ମୋ ଗାଁ ଦେଇକି, ତାକୁ 'ଖଳି ' କୁହନ୍ତି ସ୍ଥାନୀୟ ଭାଷା ରେ | ନାମକରଣ କେମିତି ଓ କେବେ ହେଇଚି ତାହାର କୌଣସି ତଥ୍ୟ ନାହିଁ | ଖଳି କୁ ଲାଗିକି ଅଛି ବିସ୍ତାର ଗୋଚର ଜମି, କିଛି ପଳାସ ଗଛ; ମୋ ପିଲା ଦିନର କ୍ରିକେଟ ପଡିଆ ଓ ଗାଁ ଝାମୁ ଯାତ୍ରା ର ପାରମ୍ପରିକ ପେଣ୍ଠ ସ୍ଥଳୀ | ଖଳି କୂଳରେ ହଉଥିବ ଯାତ୍ରା କୁ ନେଇକି ସ୍ଥାନୀୟ ଅଂଚଳ ରେ ଝାମୁ ଯାତ୍ରା ଅପେକ୍ଷା ଖଳି ଯାତ୍ରା ଅଧିକ ଲୋକ ପ୍ରିୟ ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ  ଆମ ମାନଙ୍କ ପାଇଁ କେବଳ କ୍ୟାଲେଣ୍ଡର ର ତଥ୍ୟ ଲାଗେ, ଆମ ପାଇଁ କେବଳ ଓ କେବଳ ' ଖଳି ଯାତ୍ରା

ଯାତ୍ରା ର କିଛି ପର୍ଯ୍ୟାୟ  |

ଖଳି ଯାତ୍ରା :
ମା ମଙ୍ଗଳା ଙ୍କ ପୂଜା ହୁଏ ଖଳି ପଦା ରେ ଥିବା ଥିବା ବର ଗଛ ତଳେ, ସେଇଠି କାଳେସି (ମନ୍ଦିର ପୂଜକ) ଙ୍କ ଉପରେ  ମା ମଙ୍ଗଳା ବିଜେ ହୁଅନ୍ତି | ଘଣ୍ଟା ଘଣ୍ଟି ଧ୍ୱନି, ଝୁନା ଦୀପ ର ଅପୂର୍ବ ମହକ ରେ ଆଧ୍ୟାତ୍ମିକ ହୋଇଯାଏ ଚତୁର୍ପାର୍ଶ୍ୱ , ଅଣ୍ଟା ରେ ଘଣ୍ଟ ମାଳି, ହାତରେ ବେତ ବାଡ଼ି ଧରି ଯେତେ ବେଳେ ମା ଉଭା ହୁଅନ୍ତି ଦେହ ରେ ଶିହରଣ ହେଇଯାଏ | ଖଳି କୂଳ ରେ ମାନସିକ ମାଗି ଅଧିଆ (ସ୍ଥାନୀୟ ଭାଷା ରେ 'ଗୁହାରି') ପଡ଼ିଥାନ୍ତି କିଛି ମହିଳା ପୁରୁଷ | ପୂଜା ସ୍ଥଳୀ ରୁ ବନ୍ଦ ମୁଠା ରେ କିଛି ଜିନିଷ (ଭୋଗ ସଦୃଶ୍ୟ) ନେଇକି ଦୂର ଦୂର
ପର୍ଯ୍ୟନ୍ତ ଗୁହାରି ପଡିଥିବା ଭକ୍ତ ମାନଙ୍କୁ ନେଇକି ମା ଦିଅନ୍ତି | ମୁଁ  ଯେତେ ପର୍ଯ୍ୟନ୍ତ ଦେଖିଚି , ଯେତେ ଦୂରରେ ବି ଭକ୍ତ ଅଧିଆ ପଡିଥାଉ, କିଛି ପାଣି କୂଳ ରେ ଥାନ୍ତି , କିଛି ଗଛ ତଳେ ତ କିଛି ଚାଷ ଜମି ଭିତରେ; ସେତେ ଦୂର ଯାଇକି ମା ତାଙ୍କୁ ପ୍ରସାଦ ଦେଇଥାନ୍ତି | ଆଜିକୁ ୧୦ ବର୍ଷ ତଳେ କୁକୁଡ଼ା, ବୋଦା ବଳି ଦେବାର ପରମ୍ପରା ବି ଥିଲା, ଯାତ୍ରା ପରା ଦିନ ସେ ମାଂସ କୁ ପୁରା ଗାଁ ରେ ଭାଗ ବାଣ୍ଟି ପ୍ରସାଦ ହିସାବ ରେ ଦିଆ ହଉଥିଲା କିନ୍ତୁ ଏବେ ବଳି ପ୍ରଥା ସମ୍ପୂର୍ଣ ଭାବେ ବନ୍ଦ ହେଇ ଗଲାଣି |
ଏଠି ବହୁତ ଛୋଟ ପିଲା ମାନଙ୍କର ଚୁଟି ପକେଇବା ପରମ୍ପରା ବି ଅଛି , ଛୋଟ ପିଲା ମାନଙ୍କ ଛୁଟି ଲଣ୍ଡା କରି ଦେବୀ ଙ୍କୁ ସମର୍ପିତ କରାଯାଏ, କିଛି ଲୋକ ଏହାକୁ ଛୁଆ ହବା ଦିନରୁ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମନାସୀ ଥିବାରୁ ଏହାକୁ ମାନସିକ କୁହନ୍ତି | ମୁଁ ଛୋଟ ଥିଲା ବେଳେ ଆଳୁ ଚାଟ, ମଟର ଘୁଗୁନି, ବେଙ୍ଗ ବାଜା, ପଣା ସର୍ବତ ଦୋକାନ ହିଁ  ମୋ ପାଇଁ ଖଳି ଯାତ୍ରା ର ସଜ୍ଞା ବହନ କରୁଥିଲା
ଝାମୁ ଯାତ୍ରା :
ଝାମୁ ଯାତ୍ରା ହୁଏ ଗାଁ ର ଅଲଗା ପାଖେ ଥିବା ପଦା ଜମି ରେ, ଠିକ ଗ୍ରାମଦେବତୀ ମନ୍ଦିର କୁ ଲାଗିକି | ଝାମୁ ଯାତ୍ରା ଦିନ ର କିଛି ଦିନ ପୂର୍ବରୁ ଆରମ୍ଭ ହେଇଯାଏ ପ୍ରସ୍ତୁତି | ୨୦୦ ଫୁଟ ଲମ୍ବା ରେ ଖୋଳା ଯାଏ ୨ ଫୁଟିଆ ଓସାରିଆ  କିଆରୀ , ମଝିରେ  ମଝିରେ ଥାଏ ୩  ଟି କୁଣ୍ଡ | ପୂଜା ଦିନ ସକାଳୁ ଆଖ ପାଖ ଗାଁ ରୁ ମା ମାଉସୀ ମାନେ ଆସି ପହଞ୍ଚନ୍ତି ଗ୍ରାମଦେବତୀ ଙ୍କ ପାଖରେ, ସେଠି ପୂଜା କରି ଯାନ୍ତି ସେ ପଦା ଜମି କୁ , ରଙ୍ଗ ମାଟି (ନାଲି ମାଟି) ରେ ଲିପି, ଝୋଟି ପକେଇ ପ୍ରସ୍ତୁତ କରନ୍ତି ସେ ଜମି କୁ ରାତିର ଝାମୁ ଯାତ୍ରା ପାଇଁ , ତାକୁ 'ଖନ୍ଦା ' କୁହନ୍ତି ସ୍ଥାନୀୟ ଭାଷା ରେ | ଖନ୍ଦା ଲିପିବ ଏକ ଏମିତି ପରମ୍ପରା ଯାହାକୁ କି ଗାଁ କୁ ଆସିଥିବା ନୂଆ ବୋହୁ ଆଉ ବାହା ହେଇ ଗାଁ ରୁ ପଳେଇଥିବା ଝିଅ ମାନେ ଆସି ଲିପିବା କୁ ଅତ୍ୟନ୍ତ ଶୁଭ ମନା ଯାଏ |
ଯେଉଁ ସମୟ ରେ ଖଳି ପଦା ରେ ଠାକୁର ବିଜେ ହବା, ବଳି ଦବା ଆଉ ପୂଜା ଚାଲିଥାଏ, ସେ ସମୟ ରେ ଝାମୁ ପଡିଆ ରେ ଆରମ୍ଭ ହୁଏ ପରବର୍ତି ପ୍ରସ୍ତୁତି | କାଠ କୁ ନିଆଁ ଲଗେଇ ବନା  ହୁଏ ଲାଲ ଟକ ଟକ ଜ୍ୱଳନ୍ତ ଅଙ୍ଗାର, ନାଲି ରଙ୍ଗ ର ସେ ଅଂଗାରା କୁ ନେଇକି ବିଛା  ଯାଏ ଖନ୍ଦା ଭିତରେ (୨ ଫୁଟିଆ କିଆରୀ) | କିଆରୀ ମଝିରେ ଥିବା କୁଣ୍ଡ ଭିତରେ ଢଳାଯାଏ ପାଣି କ୍ଷୀର | ଏଇ  ଭିତରେ ଲୋକ ଗହଳି ବଢ଼ିବାରେ ଚାଲେ, ଖଳି ପଦା ରୁ ଦେବୀ ଆସିକି ପହଞ୍ଚନ୍ତି ଝାମୁ ପଦା ରେ | ଆରମ୍ଭ ହୁଏ ଅଲୌକିକ ପର୍ଯ୍ୟାୟ , ନାଲି ଟହ ଟହ ନିଆଁ ରେ ଚାଲନ୍ତି ପ୍ରତ୍ୟକ୍ଷ ଦେବୀ, ଲୋକ ଗହଳି, ହରିବୋଲ ହୁଳହୁଳି ରେ କମ୍ପି ଯାଏ ଆକାଶ | ମାନସିକ ପାଇଁ ଲଣ୍ଡା ହେଇଥିବା ପିଲା ମାନଙ୍କୁ କାଖେଇ ମା ଚାଲନ୍ତି ନିଆଁ ଉପରେ | ପୂଜା ଶେଷ ବେଳକୁ ଝୁଣା ନିଆଁ ଦେଇ ଶାନ୍ତ କରାଯାଏ ଠାକୁରଙ୍କୁ, କାଳେସି ଙ୍କ ଦେହ ଛାଡ଼ି  ଯେବେ ଠାକୁର ଯାଆନ୍ତି , ଦେହ ଭୟ ରେ ଶିହରି ଉଠେ, ଦେଖିଲେ ଲାଗେ ଯେ ବହୁତ କଷ୍ଟ ହଉଥିବ କାଳେସି ପ୍ରଭୁ ଙ୍କୁ |
ମେରୁ ଯାତ୍ରା :
ପଣା  ସଂକ୍ରାନ୍ତି ର ପୂର୍ବ ଦିନ ହୁଏ ମେରୁ | ୧୮ ଦିନ ଧରି ଚାଲୁଥିବା ପରମ୍ପରା ର ଏହା ଏକ ଗୁରୁତ୍ୱପୂର୍ଣ ଦିନ | ବାଉଁଶ ପାଟି ତାଟି, ଜାମୁ ଡାଳ ରେ ତିଆରି ହେଇଥାଏ ଦେବୀ ଙ୍କର ଅସ୍ଥାୟୀ ଶିବିର |ଗ୍ରାମଦେବତୀ ଙ୍କ ପାଖରେ ବନିଥିବା ଅସ୍ଥାୟୀ ଟୁଙ୍ଗି ରେ ଜମା ହୁଅନ୍ତି ଘଟୁଆ ଆଉ ଦଣ୍ଡୁଆ ମାନେ | ମଝି ରେ ଗାଁ ପ୍ରଧାନ (ମୁରବି) ଆସିକି ଗାଁ ର ଭବିଷ୍ୟତ, ବର୍ଷା ର ଆଗନୁମାନ, ସ୍ୱାସ୍ଥ୍ୟ ଓ ସମ୍ପତ୍ତି ବିଷୟରେ ପଚାରନ୍ତି , ମା ମଧ୍ୟ ତାର ଉତ୍ତର ଦିଅନ୍ତି | ଆମ୍ବ ଫୋପଡ଼ା ଗୋଟେ ପର୍ବ ଥାଏ ଏଥିରେ, ଦେବୀ ଉଭା ହେଲା ସମୟରେ ଆମ୍ବ ଫୋପଡନ୍ତି | ଗାଲ ରେ ମୁହଁରେ ଚାଇଁ ଚାଇଁ ହେଇ ମାଡ଼  ହେଇଯାଏ କଞ୍ଚା ଆମ୍ବ, କିନ୍ତୁ ସେ ପ୍ରସାଦ ସ୍ୱରୂପ  ଆମ୍ବ କୁ ପାଇବା ପାଇଁ ମାଟିରେ ଲୋଟି ଯାନ୍ତି ଆବାଳ ବୃଦ୍ଧବନିତା |
ଦଣ୍ଡ ନାଚ :
ଆମ ଗାଁ ର ମା ମଙ୍ଗଳା ଓ ପଡୋଶୀ ଗାଁ ( ଦୁର୍ଗା ପ୍ରସାଦ) ର ମା  ଦକ୍ଷିଣକାଳୀ ଭେଟ ହୁଅନ୍ତି ଦିନେ, ସେ ଦିନ ସତ ଭଉଣୀ ଙ୍କ ପୂଜା ହୁଏ | ଏହି ପର୍ଯ୍ୟାୟ ଝାମୁ ଯାତ୍ରା ର ସବୁଠାରୁ ବଡ ଅଧ୍ୟାୟ ଥାଏ | ଗାଆଁ ମୁଣ୍ଡ ରେ ଭେଟ ହୁଅନ୍ତି ମଙ୍ଗଳ ମୟୀ ମା ମଙ୍ଗଳା ଆଉ ଉଗ୍ର ରୁପିନୀ ମା କାଳୀ | ରୋମ ତାଙ୍କରି ହେଇଯାଏ ସେ ଦୃଶ୍ୟ ଦେଖିଲେ, କୁହାଟ (ଏକ ପ୍ରକାର ଚିତ୍କାର) ମାରି ଗାଁ ଦାଣ୍ଡ ରେ ଦଉଡନ୍ତି ମଙ୍ଗଳା  ଦକ୍ଷିଣକାଳୀ, ମଶାଲରେ ଝୁଣା ମାରି ଶାନ୍ତ କରାଯାଏ ଦେବୀ ମାନଙ୍କୁ |
ଆଧୁନିକତା ର ଚାକ ଚକ୍ୟ ରେ ଯଦିଓ କିଛି ନୂତନ ପରମ୍ପରା ଧସି ଆସିଲାଣି ଦଣ୍ଡ ନାଚ କୁ, କିନ୍ତୁ  ଆଜି ପର୍ଯ୍ୟନ୍ତ ପରଭା ନାଚ, ଶିବ ପାର୍ବତୀ ଓ ଶବର ଶବରଣୀ ନାଚ ଦଣ୍ଡ ନାଚ ର ମୁଖ୍ୟ କେନ୍ଦ୍ର ବିନ୍ଦୁ|
ମନ୍ଦିର ଓ ପୂଜକ:
ଗାଁ ର କୂଳ ଦେବୀ ଙ୍କ ମନ୍ଦିର କେଉଁ କାଳ ରେ ଅଛି ତାହାର ପ୍ରକୃତ ତଥ୍ୟ ନାହିଁ, ଗଛ ମୂଳ ରେ ଥିବା ଛୋଟ ମନ୍ଦିର କୁ ବାସ୍ତବ ରୂପ ଦେଲେ ଅବସର ପ୍ରାପ୍ତ ସାମରିକ କର୍ମଚାରୀ ଶିବ ପ୍ରଶାଦ ରାଉତ | ନିଜସ୍ୱ ଧନ ଓ କିଛି ଗ୍ରାମବାସି ଙ୍କ ସାହାଯ୍ୟ ରେ ୨୦୦୭  ମସିହା ରେ ସେ ନିର୍ମାଣ କରିଥିଲେ ସ୍ଥାୟୀ ମନ୍ଦିର | ତାଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ |
ଗୋଟିଏ ମହତ୍ୱପୂର୍ଣ୍ଣ କଥା କୁ ଲୋକ ଲୋଚନ କୁ ଆଣିବାକୁ ଚାହେଁ ଯେ , ମନ୍ଦିର ର ମୁଖ୍ୟ ପୂଜକ ଓ ମନ୍ଦିର ର ରକ୍ଷଣ ବେକ୍ଷଣ ରେ ଥିବା  ସେବାୟତ ମାନେ କୌଣସି ବ୍ରାହ୍ମଣ, ମାଳି ସମ୍ପ୍ରଦାୟ ର ନୁହନ୍ତି | ସେମାନେ 'ତିଅର' ସମ୍ପ୍ରଦାୟ ର, କେଉଟ ସମ୍ପ୍ରଦାୟ ର ଏକ ଉପ ଜାତି, ସେମାନେ ମୁଖ୍ୟତଃ ଖଳି ରୁ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରନ୍ତି | ଆଜି ର ଦୁନିଆ ରେ ବହୁତ ଜାଗା ରେ ଛୋଟ -ବଡ଼ , ଜାତି -ଅଜାତି, ଛୁଆଁ - ଅଛୁଆଁ ର ଭେଦ ଭାବ ବହୁତ ମାତ୍ରା ରେ ଦୂର ହେଇଚି ସତ କିନ୍ତୁ ସମ୍ପୂର୍ଣ ଭାବେ ତାର ସମାପ୍ତି ହେଇଚି କହି ହବନି| ତଥାପି ସେ ଭାବନା ଠାରୁ ଉପରକୁ ଉଠିକି ଆମେ କାଳେସି ଙ୍କୁ ପୂଜା କରୁ, ତାଙ୍କୁ ଗାଁ ର କୁଳଦେବୀ ଙ୍କ ମୁଖ୍ୟ ସେବକ ହିସାବରେ ସମ୍ପୃର୍ଣ ରୂପେ ଗ୍ରହଣ କରୁ | ବ୍ୟକ୍ତିଗତ ଭାବରେ ମୋତେ ଏହି ଉଚ୍ଚ ଚିନ୍ତା ଧାରା ଧର୍ମୀୟ ଭାବନା ଠାରୁ ଉପରେ ଲାଗେ | ଧନ୍ୟବାଦ ଆମ ପୂର୍ବପୁରୁଷ ଓ ଗୁରୁଜନ ମାନଙ୍କୁ, ସେମାନେ ଆମକୁ ଏପରି ଏକ ଚିନ୍ତାଧାରା ରେ ଅନୁପ୍ରାଣିତ କରି ପାରିଛନ୍ତି ଓ ମୁଁ ଏହା ବି ଦାବି କରି କହିପାରିବି ଯେ ଏ ପରମ୍ପରା ମୋ ଗାଁ ରେ ସମୟ ଥିବା ଯାଏ ବଂଚି ରହିବ | ଗାଁ ର ସ୍କୁଲ ଆଉ କ୍ଲବ ବି ଯଥା କ୍ରମେ ମା ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ମା ମଙ୍ଗଳ ୟୁଥ କ୍ଲବ ନା ରେ ନାମିତ |

ଜୟ ମା ମଙ୍ଗଳା
ଗାଁ : ଗଣଗଣା
ସମିତି: ନରସିଂହପୁର
ଥାନା : କାନପୁର
ଜିଲ୍ଲା : କଟକ
ଓଡ଼ିଶା