Tuesday 31 January 2017

ମେରୁଦଣ୍ଡ


ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ ପଡିଲା | ବର୍ଷ ରେ ତ ଥରେ ଫସଲ ହେଲା , ସେଇଟା ପୁଣି ଧାନ | ମୁଗ , ବିରି, କୋଳଥ ମୁ ଶେଷ ଥର ବନ୍ୟା ବର୍ଷ କରିଥିଲି , ଆଉ ନାଇଁ | ଲାଭ ତ ଦୂର କଥା ଘରେ ଟିକେ ପିଠା ପଣା, ବାହା ପୁଆଣି କୁ ବି ଅଣ୍ଟିଲାନି | ଆଉ ପରିବା, ଛାଡ ତା କଥା , ମୁଲିଆ ମଜୁରୀ ଯେମିତି ହେଲାଣି ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ବେପାର ମୋ ପାଇଁ | ପରିବା ଚାଷ ସବୁ ଏବେ ବଡ ବଡ଼ିଆ ଙ୍କ କଥା | ନାତି କହୁଥିଲା କଣ ବଡ ଲୋକ ସବୁ କନ୍ଧମାଳ ରେ ମଶାରୀ ଜାଲି  ଭିତରେ ପରିବା ଚାଷ କଲେଣି ,କାଗଜ ପେଟି ଭିତରେ କୁଆଡେ ଟମାଟ ଆସୁଛି ବଡ ସହରକୁ , ସଢ଼ି ଯାଉନି , କେଜାଣି l 


ମୋ ବେଳ ଆଉ ଆଜି ଭିତରେ କେତେ କଣ ବଦଳିଲାଣି ତାର ଆଉ ହିସାବ ନାହିଁ  | ଶାସ୍ତ୍ରୀ ମହାଶୟ ସେ ସମୟ ରେ ଜୟ ଯବାନ ଜୟ କିଷାନ ଡାକରା ଦେଇଥିଲେ ; ଛୋଟ ଥିଲି , ବୁଝି ପାରୁନଥିଲି , ତଥାପି ଭାରି ଖୁସି ଲାଗେ , ଚାଷୀ ଭାଇ ମାନଙ୍କ ପାଇଁ ପ୍ରଧାନ ମନ୍ତୀ ଡାକରା ଦଉଛନ୍ତି | ମନ୍ତ୍ରୀ ମହାଶୟ ନିଜ ପ୍ରଧାନ ମନ୍ତ୍ରୀ ଆବାଶ ରେ ବି ହଳ ଯୋଚିଥିଲେ | ଚାଷୀ କୁ ଦେଶ ର ମେରୁଦଣ୍ଡ ବୋଲି କହିଥିଲେ ସମୟ ସହ ବଦଳିଲା ଚିନ୍ତାଧାରା | ଆମକୁ ଗୋଲଡ଼ କାର୍ଡ , କିଷାନ କ୍ରେଡିଟ କାର୍ଡ, କୃଷି ଋଣ କଣ କଣ ମିଳୁଛି ତାର ହିସାବ ନାହିଁ ଚାଷୀ କଣ ସେ ପଇସା ପାଉଛି , ପାଇଲେ ବେ କେତେ , ଚାରି ଅଣା ପାଇଲେ ବାର ଅଣା ବାଟ ମାରଣା | ଆଧାର କାର୍ଡ ବନେଇ, ବ୍ୟାଙ୍କ ରେ ଖାତା ଖୋଲି , ବାର ଜାଗା ରେ ଟିପ ଦସ୍ତଖତ କରିଲା ବେଳକୁ ବେଉଷଣ ଆସିଯିବଣି | ସବୁ ସରିକି ଅମଳ ହେଲା, ତା ପରେ ଆରମ୍ଭ ହେଇଗଲା ସରକାରୀ କଳ ଆଉ ବେପାରୀଙ୍କ ଭିତରେ ଟଣା ଟଣି | ଫସଲ ଯାଇକି ଗୋଦାମ ରେ ପଡିଲା ବେପାରୀ ଯୋଉ ରେଟ ଦେଲା , ସେଥିରେ ମୁ ଋଣ ସୁଝିବି ନା ପରିବାର ଚଳେଇବି ? ବର୍ଷେ ଦୁଇ ବର୍ଷ ଗଲା ପରେ ମନ ଭାଙ୍ଗିଗଲା | ଛାଡିଦେଲି ସବୁ |

ଆଜି ମୁଁ ଚାଷୀ , କିନ୍ତୁ ମୋ ବେଉସା ଚାଷ କରିବା  ନୁହେଁ | ମୋ ଭଳି କେତେ କୁହାଳିଆ  ହୁସିଆର ଲୋକ ସରକାରୀ ଅନୁଦାନ ର ଆଂଶିକ ଲାଭ ଉଠେଇ କେମିତି ପରିବାର ଚଳେଇବେ ଶିଖି ଗଲେଣି | ପୁଅ ପାଇଁ ଅଟୋ ଟା ପରା ସେଇ କୃଷି ଋଣ ପଇସା ରୁ କରିଛି , ମଝିରେ ମଝିରେ ଋଣ ବି ଛାଡ଼ ହେଇଯାଉଛି | ମୁକୁନ୍ଦ ଭାଇ ପୁଅ ବି କୃଷି ଋଣ ପଇସା ରୁ ଟ୍ରାକଟର କିଣିକି ପାୱାର ପ୍ଲାଣ୍ଟ ରେ ଲଗେଇଛି, ଯାହା ହଉ ଭଲ ମନ୍ଦ କୋଉ କାମ ରେ ଟିକେ ରୋଜଗାର ତ ମିଳି ଯାଉଛି |  ପ୍ରକୃତ ଯିଏ ଚାଷୀ, ଯୋଉ ମଳି ମୁଣ୍ଡିଆ ହେଇକି ଥିଲା ସେମିତି ଅଛି , ବୋଧହୁଏ ଆହୁରି ଖରାପ ଅବସ୍ଥା ରେ | ମୋ ସମୟରେ କୃଷି ବୈଜ୍ଞାନିକ ଗାଁ କୁ ଆସୁଥିଲେ ଆଖୁ ଚାଷ , ସୂର୍ଯ୍ୟମୁଖୀ ଚାଷ କେମିତି ହୁଏ କହିବା ପାଇଁ , ବିଲ ହୁଡ଼ା ରେ ଠିଆ ହେଇକି ବାବୁ ମାନେ  ବତଉଥିଲେ | ଆଜି କଲି କଣ ମୋବାଇଲ ରେ ଲେଖିକି ପଠେଇଲେ ବୈଜ୍ଞାନିକ ଆସିବେ , କିଏ କହୁଥିଲା କମ୍ପୁଟର ରେ ଚାଷ ପ୍ରଣାଳୀ ଲେଖା ହେଇଚି ; ସରକାର କହୁଛି ପଡିକି ଚାଷ କର , ଆରେ ଭାଇ ସେତିକି ପାଠ ପଢିଥିଲେ ମୁ ଅମିନ ଚାକିରୀ କରିନଥାନ୍ତି | ଇଏ ତ ସେମିତି କଥା ହେଲା କି ମୋତେ ରୋଷେଇ ଜଣା ନାହିଁ , ତମେ ମୋତେ ରୋଷେଇ ଶିଖେଇବ ନା ଲୋନ ଦବ, କହିବା ଢାବା ରେ ଖାଇଦେ | ଯାହାକୁ ଚାଷ କାମ ନ ଜଣେଇ ତମେ ଲୋନ ଦେଇଦେବ, ସେ ବିଚରା ଋଣ ନଶୁଝି ଆତ୍ମହତ୍ୟା କରିବନି ତ ଆଉ କଣ କରିବ, ଚାଷୀ ତା ମାଲ୍ୟା ବାବୁ ଙ୍କ ଭଳି ଶିକ୍ଷିତ ନୁହେଁ ଯେ ଗାଁ ଛାଡିକି ପଳେଇବ | ଏମିତି ଦେଖିକି ମୁ ସରଳ ପନ୍ଥା ନେଇଗଲି, କାହିଁକି ଚାଷ କରିବି , ଋଣ ସୁଝି ହବନି; ପୁଅ ପାଇଁ ଅଟୋ କରିଦେଲେ ଭଲ , ଚାଲୁ ଯେତେ ଦିନ ଯାଏ ଚାଲିବ, ନହେଲେ ବ୍ୟାଙ୍କ ଵାଲା ଆସିକି ନେଇଯିବେ , କାହା ଜୀବନ ତା ଯିବନି |

ମୋ ସହ ଆପଣ ବୋଧେ ଏକମତ ହେବେ, ଚାଷୀ ବୋଲି କିଛି ଜୀବିକା ଏବେ ଆଉ ନାହିଁ | ଯା ପାଖରେ ଅଧିକ ଜମି ଅଛି ରେ ବିଲଡ଼ର,  ଯା ପାଖରେ କମ ଜମି ଅଛି ସେ ହେଲା ସାହୁକାର , ଯିଏ ଚାଷ କଲା ସେ ହେଲା ମୁଲିଆ | ଚାଷୀ ଗଲା କୁଆଡେ ? ଯାହାକୁ ଏକଦା ବୀର ଯବାନ ସହ ତୁଳନା କରା ଯାଉଥିଲା ଆଜି ତା ଅସ୍ତିତ୍ବ ଜଣେ ଗରିବ , ଗାଁ ରେ ରହୁଥିବା ଦିନ ମଜୁରିଆ ରେ ପରିଣତ ହେଇଯାଇଛି | ନିଜକୁ ଦେଶ ର ମେରୁଦଣ୍ଡ କହୁଥିବା ଲୋକ ଆଜି ତା ନିଜ ମେରୁଦଣ୍ଡ କୁ ବି ସିଧା କରିପାରୁନି | କେତେ ଜଣ ଜୀବିକା ପରିବର୍ତନ କରି କରିଲେଣି ତା କେତେ ଜଣ ମୋ ଭଳି ସରକାର ଅନୁକମ୍ପା ର ଅପବ୍ୟବହାର କଲେଣି  | ଚାଷୀ ଜୀବନ ମଝିରେ ଭଲ ରାଜନୀତି ବି କଲା , କୋଉ ନାଚିକା ଲିଙ୍ଗା ଚାଷୀ ମୁଲିଆ ଙ୍କ ନେତା ହେଲାଣି ତ କୋଉଠି ଚାଷୀ ଙ୍କୁ ପୋଲିସ ଦମନ କଲାଣି | ଦିନ ଏମିତି ନ ଆସୁ ଦେଶର ସବୁଠୁ ବଡ଼ କୌଳିକ ବୃତ୍ତି ସେଇ ଏକ ଭାଗ କୋଟି ପତି  ମାନଙ୍କ ହାତକୁ ନ ଚାଲି ଯାଉ ଯୋଉମାନେ ଦେଶ ର ଅଧା ଧାନ କୁ ଗ୍ରାସ କରି ରଖିଛନ୍ତି l

Tuesday 10 January 2017

ତିନୋଟି ଘର

ମୁଁ  ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ  ବଡ ସୋପାନ ଚଢିଲା ପରି ଲାଗିଲା l ପଢ଼ା ସରିଲା, ମହାନଗର ରେ ସମ୍ଭ୍ରାନ୍ତ ଚାକିରୀ , ନୂଆ ସାଙ୍ଗ , ଅବିବାହିତ ବେଲଗାମ ଜୀବନର ମତୁଆଲା ଆନନ୍ଦ, ପଛକୁ ଚାହିଁବା ଯେମିତି ମୋ ଉତ୍ସାହ ପୁର୍ଣ ଜୀବନର ନୀତି ରେ ହିଁ ନଥିଲା l
୫ ବର୍ଷ ବିଦେଶ ରେ ରହି ଫେରି ଆସିଲି ମୁମ୍ବାଇ , ଅର୍ଜିତ ପଇସା ସୁଦୁପଯୋଗ କଲି ଭୁବନେଶ୍ୱର ରେ ଘର କିଣି , ବାପା ମା ଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଗାଁ ଛାଡି ଭୁବନେଶ୍ୱର ରେ ରହିବ ପାଇଁ ଚାପ ପକେଇଲି l ମୋ ବାହାଘର ପରେ ମୁ ସମ୍ପୂର୍ଣ ଭାବରେ ମୁମ୍ବାଇ ସ୍ଥାଇ ବାସିନ୍ଦା ହେଇଗଲି  ଆଉ ବାପା ମା ଭୁବନେଶ୍ୱର ର l ଆମେ ସବୁବେଳେ ଭୁବନେଶ୍ୱର ଯାଉ , ବାପା ମା ବି ନିୟମିତ ବ୍ୟବଧାନ ରେ ମୁମ୍ବାଇ ଆସନ୍ତି l ଧୀରେ ଧୀରେ ଗାଁ କୁ ଯିବା ବି କମି ଗଲା l ଆଜି କୁ ଗାଁ  ଛାଡିବା ୨୫ ବର୍ଷ ହେଇଗଲା l
ରାତିରେ ଦିନେ ସ୍ବପ୍ନ ଦେଖିଲି ମୁ ଏକା ବୁଲୁଚି, କେହି ବି ଚିଂହା ଲୋକ ନାହାନ୍ତି, ଆଗକୁ ଆଗକୁ ଧଇଁ ସଇଁ ହେଇ ଦୌଡୁଛି , ହେଲେ ରାସ୍ତା ସରୁନି l କେଜାଣି କାହିଁକି ମୋତେ ହଜି ଯିବାର ଡର ମାଡ଼ି ବସିଲା l ନିଜକୁ ନିଜେ ସାମାନ୍ୟ କରୁଥାଏ, କିନ୍ତୁ ମନର କେଉଁ ଗୋଟେ କୋଣ ରେ ସେ ଡର ମୋର ଥାଏ l ଏହାର କାରଣ ମୋତେ ବୋଧ ହୁଏ ସେ ପର୍ଯ୍ୟନ୍ତ ମିଳିନଥାନ୍ତା ଯଦି ଶେଷ ସପ୍ତାହ ରେ  ଆମ ଅଫିସ ର ଗୋଟେ ସାମାଜିକ ଉନ୍ନତୀମୂଳକ କାମ ରେ ଭାଗ ନେଇ ନଥାନ୍ତି l କିଛି  ଖାସ ନାହିଁ, କେବଳ କିଛି ଗ୍ରାମୀଣ କ୍ଷେତ୍ର ର କିଛି ବିବରଣୀ ନେବାର ଥିଲା , ଯଥା : କ୍ଷେତ୍ରୀୟ ଶ୍ରମ ନିୟୋଜନ କେତେ ମାତ୍ର ରେ ସଫଳ , ଯୁବ ସମାଜର ରୋଜଗାର ପନ୍ଥା, କାମ ସନ୍ଧାନ ରେ ବାହାରକୁ ଯାଉଥିବା ଯୁବକ, ସହରାନୁଗାମୀ ଚିନ୍ତାଧାରା ଇତ୍ୟାଦି l ମୋ ଅନ୍ୟ ସହକର୍ମୀ ମାନଙ୍କ ପାଇଁ ଏହା ଏକ ଔପଚାରିକତା ଥିଲା , କିନ୍ତୁ ମୋ ପାଇଁ ଏହା ଏକ ପୂର୍ଣ୍ଣଛେଦ ଥିଲା ମୋର ଦୁଇ ଦଶନ୍ଧି ଧରି ଚାଲିଥିବା ଇଛା ର ସଂଘର୍ଷ ର l ମୋର ଅନୁଭବ ହେଲା ଯେ ଗୋଟିଏ ଘର ବନେଇବା ଉଦ୍ଧେଶ୍ୟ ରେ ମୁ ତିନି ତିନି ଟି ଘର ବନେଇ ସାରିଲିଣି , କିନ୍ତୁ ମୋ ପ୍ରକୃତ ଘର କୋଉଟା ? ସେଇ ୨୫ ବର୍ଷ ତଳେ ଛାଡି ଆସିଥିବା ମୋ ଗାଁ ର ସୁରେଇ ଟାଇଲ ଓ ଚାଳ ଛପର ମିଶା ପକ୍କା ଘର l ଯୋଉ ମହାନଗର ର ଚାକଚକ୍ୟ ମୋତେ ଏକଦା ଏତେ ଆକର୍ଷିତ କରିଥିଲା ଆଜି ମୁ ତାର ମୂଲ୍ୟାଙ୍କନ କରିବା ପାଇଁ ବାଧ୍ୟ ହଉଚି l ନିଃସନ୍ଦେୟ ଏ ସହରୀ ଜୀବନ ମୋତେ ଏତେ ସକାରାତ୍ମକ ଚିନ୍ତାଧାରା ରେ ଅନୁପ୍ରାଣିତ କରିଛି, ସେଥିରେ ମୋର କୌଣସି ମତଭେଦନ ନାହିଁ ଅଛି କେବଳ ମନଭେଦନ l
ମିଳିଛି ମୋତେ ବହୁତ : କଲେଜ ରେ ଗୋଟେ ଝିଅ କୁ ପ୍ରେମ କରୁଥିବା ଚାରୋଟି ସାଙ୍ଗ, ମଟରସାଇକେଲ ନେଇ ହିମାଳୟ ଯିବା କିଛି ସହକର୍ମୀ ବନ୍ଧୁ , ଉଚ୍ଚ ମଧ୍ୟବିତ୍ତ ଜୀବନ ଶୈଳୀ , ବାପା ମା ଙ୍କ ପାଇଁ ଭଲ ଡାକ୍ତରୀ ସୁବିଧା , ସ୍ତ୍ରୀ ସହ ଶୈଳନିବାସ ରେ ଛୁଟି କାଟିବାର ମଜା , ପୁଅ ପାଇଁ ଭଲ ସ୍କୁଲ , କିନ୍ତୁ ସମ ପରିମାଣ ହରେଇଛି ବି ତ l ହରେଇଛି ମୁଁ ଅତ୍ମୀୟତା , ହରେଇଛି ମୁଁ ଗାଁ ପାଇଁ ମୋ ଭାଗର ଅବଦାନ l କର୍ମ ଜଂଜାଳ ର ଦ୍ୱାହି ଦେଇ ଲୁଚିବାକୁ ବସିଲି ; କଣ ଅବା କରି ପାରିଥାନ୍ତି ମୁଁ ? ଉତ୍ତର ବି ଆସିଲା ଓ ବହୁତ ଅପ୍ରିୟ ବି 
ଥିଲା l ଯୋଉ ସବୁ ଅଣ ସରକାରୀ ସଂସ୍ଥା ରେ ଭାଗ ନେଇ , ମାରାଥନ ଦୌଡ଼ି , ବସ୍ତି ରେ ମଶା ମରା ଔଷଧ ବାଣ୍ଟି ମ୍ୟାନେଜମେଣ୍ଟ କଲେଜ ରୁ ମାନପତ୍ର ପାଇଛି , ପେଶାଗତ ବ୍ୟବସାୟ କୁ ଦୃଷ୍ଟି ଆକର୍ଷିତ କରେଇଛି , ତାହାର କିଛି ଭାଗ ମୁଁ ମୋ ଗାଁ ର ଉନ୍ନତି ର ଅବଦାନ ରେ ନିଶ୍ଚୟ ଲଗେଇ ପାରିଥାନ୍ତି l ପ୍ରଥମ ଘର ମୁମ୍ବାଇ ରୁ ମୁ ଯୋଗାଯୋଗ କେବଳ ମୋ କଥାକଥିତ ଦ୍ଵିତୀୟ ଘର ସହ ରଖିଲି, ମୋ ପ୍ରକୃତ ଘର କୁ ମୁଁ କୁଣିଆ ହେଇକି ଯାଉଛି l ଯୋଉ ବାବୁଲି ଭାଇ ସାଇକେଲ ରେ ବସି ମୁ ମେଳା ଦେଖି ଯାଉଥିଲି ଆଜି ସେ ମୋତେ ନମସ୍କାର କରୁଚି , ଯୋଉ ସାଙ୍ଗ ସହ ଖାଲି ପାଦ ରେ ଥୁଣ୍ଟା ଧାନ ବିଲ ରେ କାଠ ପଟା ବ୍ୟାଟ ରେ କ୍ରିକେଟ ଖେଳୁଥିଲି ସେ ମୋତେ ଆପଣ କହୁଚି , ଆଉ ସ୍କୁଲ ର ସାର ; ଯିଏ ବେତ ମାଡ ରେ ପିଠି ରୁ ଛାଲ ଉତାରି ଦଉଥିଲେ ସେ ପଚାରୁଛନ୍ତି ''ପୁଅ କେବେ ଆସିଲ '' l ଯଦିଓ ଏ ପରିବର୍ତ୍ତନ କୁ ମୁ ସେ ସମୟ ରେ ଗ୍ରହଣ କରି ପାରୁ ନଥିଲି , ଏହାର କାରଣ ଯେ ଦୂରତା ମୁ ତାକୁ ଅନୁଭବ କରିପାରୁଥିଲି l ଗୁରୁତ୍ୱପୂର୍ଣ କଥା ସେମାନେ କେବେ ମୋତେ ଅପେକ୍ଷା ବି କରିନାହାନ୍ତି କି ଆଶା ବି ରଖିନାହାନ୍ତି l  ପ୍ରତି ୪ ବର୍ଷ ରେ ବଦଳାଉଥିବା ସଂସ୍ଥାନ ପାଇଁ ମୁ ଗୁରୁତ୍ୱ ହେଇପାରିଲି କିନ୍ତୁ ଆଜି ସେ ଜାଗା ଯୋଉଠି ମୁ ମୋ ଶୈଶବ କାଟିଚି , ତା ପାଇଁ କୌଣସି ଗୁରୁତ୍ୱ ବହନ କରି ପାରିଲିନି l 
ଏବେ ସବୁ ରାତିରେ ଶୋଇଲା ବେଳେ ମନକୁ ଆସେ ସତରେ କଣ ମୁଁ ଗାଁ କୁ ଫେରି ପାରିବି, କେବେ ତ ଏ ସହରୀକରଣ ଧାରା ଶେଷ ହବ, ସତରେ କଣ ମୋ ପର ପିଢ଼ି ମୋ ଗାଁ କଣ ଜାଣି ପାରିବେ, କିଏ ତ ଥିବ ଯିଏ ମୋତେ ମୋ ଗାଁ କୁ ଡ଼ାକିନେବ ! ! !