ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି
ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ ପଡିଲା | ବର୍ଷ ରେ ତ ଥରେ ଫସଲ ହେଲା , ସେଇଟା ପୁଣି ଧାନ | ମୁଗ , ବିରି, କୋଳଥ ମୁ ଶେଷ ଥର
ବନ୍ୟା ବର୍ଷ କରିଥିଲି , ଆଉ ନାଇଁ |
ଲାଭ ତ ଦୂର କଥା ଘରେ ଟିକେ
ପିଠା ପଣା, ବାହା ପୁଆଣି କୁ ବି ଅଣ୍ଟିଲାନି | ଆଉ ପରିବା, ଛାଡ ତା କଥା , ମୁଲିଆ ମଜୁରୀ ଯେମିତି ହେଲାଣି ଘୋଡା ଛ ଟଙ୍କା କୁ
ଦାନା ନ ଟଙ୍କା ବେପାର ମୋ ପାଇଁ | ପରିବା ଚାଷ ସବୁ ଏବେ ବଡ ବଡ଼ିଆ ଙ୍କ କଥା | ନାତି କହୁଥିଲା କଣ ବଡ ଲୋକ ସବୁ କନ୍ଧମାଳ ରେ ମଶାରୀ
ଜାଲି ଭିତରେ ପରିବା ଚାଷ କଲେଣି ,କାଗଜ ପେଟି ଭିତରେ କୁଆଡେ ଟମାଟ ଆସୁଛି ବଡ ସହରକୁ , ସଢ଼ି ଯାଉନି , କେଜାଣି l
ମୋ ବେଳ ଆଉ ଆଜି
ଭିତରେ କେତେ କଣ ବଦଳିଲାଣି ତାର ଆଉ ହିସାବ ନାହିଁ
| ଶାସ୍ତ୍ରୀ ମହାଶୟ ସେ ସମୟ ରେ ଜୟ ଯବାନ ଜୟ କିଷାନ ଡାକରା ଦେଇଥିଲେ ; ଛୋଟ ଥିଲି , ବୁଝି ପାରୁନଥିଲି , ତଥାପି ଭାରି ଖୁସି
ଲାଗେ , ଚାଷୀ ଭାଇ ମାନଙ୍କ ପାଇଁ ପ୍ରଧାନ ମନ୍ତୀ ଡାକରା ଦଉଛନ୍ତି
| ମନ୍ତ୍ରୀ ମହାଶୟ ନିଜ ପ୍ରଧାନ ମନ୍ତ୍ରୀ ଆବାଶ ରେ ବି ହଳ ଯୋଚିଥିଲେ | ଚାଷୀ କୁ ଦେଶ ର ମେରୁଦଣ୍ଡ ବୋଲି କହିଥିଲେ | ସମୟ ସହ ବଦଳିଲା ଚିନ୍ତାଧାରା |
ଆମକୁ ଗୋଲଡ଼ କାର୍ଡ , କିଷାନ କ୍ରେଡିଟ କାର୍ଡ, କୃଷି ଋଣ କଣ କଣ ମିଳୁଛି ତାର ହିସାବ ନାହିଁ | ଚାଷୀ କଣ ସେ ପଇସା ପାଉଛି , ପାଇଲେ ବେ କେତେ , ଚାରି ଅଣା ପାଇଲେ
ବାର ଅଣା ବାଟ ମାରଣା | ଆଧାର କାର୍ଡ ବନେଇ, ବ୍ୟାଙ୍କ ରେ ଖାତା
ଖୋଲି , ବାର ଜାଗା ରେ ଟିପ ଦସ୍ତଖତ କରିଲା ବେଳକୁ ବେଉଷଣ
ଆସିଯିବଣି | ସବୁ ସରିକି ଅମଳ ହେଲା, ତା ପରେ ଆରମ୍ଭ ହେଇଗଲା ସରକାରୀ କଳ ଆଉ ବେପାରୀଙ୍କ ଭିତରେ ଟଣା ଟଣି | ଫସଲ ଯାଇକି ଗୋଦାମ ରେ ପଡିଲା ବେପାରୀ ଯୋଉ ରେଟ ଦେଲା , ସେଥିରେ ମୁ ଋଣ
ସୁଝିବି ନା ପରିବାର ଚଳେଇବି ? ବର୍ଷେ ଦୁଇ ବର୍ଷ ଗଲା ପରେ ମନ ଭାଙ୍ଗିଗଲା | ଛାଡିଦେଲି ସବୁ |
ଆଜି ମୁଁ ଚାଷୀ , କିନ୍ତୁ ମୋ ବେଉସା ଚାଷ କରିବା ନୁହେଁ | ମୋ ଭଳି କେତେ କୁହାଳିଆ ହୁସିଆର ଲୋକ
ସରକାରୀ ଅନୁଦାନ ର ଆଂଶିକ ଲାଭ ଉଠେଇ କେମିତି ପରିବାର ଚଳେଇବେ ଶିଖି ଗଲେଣି | ପୁଅ ପାଇଁ ଅଟୋ ଟା ପରା ସେଇ କୃଷି ଋଣ ପଇସା ରୁ କରିଛି , ମଝିରେ ମଝିରେ ଋଣ ବି ଛାଡ଼ ହେଇଯାଉଛି | ମୁକୁନ୍ଦ ଭାଇ ପୁଅ
ବି କୃଷି ଋଣ ପଇସା ରୁ ଟ୍ରାକଟର କିଣିକି ପାୱାର
ପ୍ଲାଣ୍ଟ ରେ ଲଗେଇଛି, ଯାହା ହଉ ଭଲ ମନ୍ଦ କୋଉ କାମ ରେ ଟିକେ ରୋଜଗାର ତ ମିଳି ଯାଉଛି | ପ୍ରକୃତ ଯିଏ ଚାଷୀ, ଯୋଉ ମଳି ମୁଣ୍ଡିଆ ହେଇକି ଥିଲା ସେମିତି ଅଛି , ବୋଧହୁଏ ଆହୁରି ଖରାପ ଅବସ୍ଥା ରେ |
ମୋ ସମୟରେ କୃଷି ବୈଜ୍ଞାନିକ
ଗାଁ କୁ ଆସୁଥିଲେ ଆଖୁ ଚାଷ , ସୂର୍ଯ୍ୟମୁଖୀ ଚାଷ କେମିତି ହୁଏ କହିବା ପାଇଁ , ବିଲ ହୁଡ଼ା ରେ ଠିଆ ହେଇକି ବାବୁ ମାନେ
ବତଉଥିଲେ | ଆଜି କଲି କଣ ମୋବାଇଲ ରେ ଲେଖିକି ପଠେଇଲେ ବୈଜ୍ଞାନିକ
ଆସିବେ , କିଏ କହୁଥିଲା କମ୍ପୁଟର ରେ ଚାଷ ପ୍ରଣାଳୀ ଲେଖା ହେଇଚି
; ସରକାର କହୁଛି ପଡିକି ଚାଷ କର , ଆରେ ଭାଇ ସେତିକି ପାଠ ପଢିଥିଲେ ମୁ ଅମିନ ଚାକିରୀ କରିନଥାନ୍ତି | ଇଏ ତ ସେମିତି କଥା ହେଲା କି ମୋତେ ରୋଷେଇ ଜଣା ନାହିଁ , ତମେ ମୋତେ ରୋଷେଇ ଶିଖେଇବ ନା ଲୋନ ଦବ, କହିବା ଢାବା ରେ
ଖାଇଦେ | ଯାହାକୁ ଚାଷ କାମ ନ ଜଣେଇ ତମେ ଲୋନ ଦେଇଦେବ, ସେ ବିଚରା ଋଣ ନଶୁଝି ଆତ୍ମହତ୍ୟା କରିବନି ତ ଆଉ କଣ କରିବ, ଚାଷୀ ତା ମାଲ୍ୟା ବାବୁ ଙ୍କ ଭଳି ଶିକ୍ଷିତ ନୁହେଁ ଯେ ଗାଁ ଛାଡିକି ପଳେଇବ | ଏମିତି ଦେଖିକି ମୁ ସରଳ ପନ୍ଥା ନେଇଗଲି, କାହିଁକି ଚାଷ କରିବି , ଋଣ ସୁଝି ହବନି; ପୁଅ ପାଇଁ ଅଟୋ
କରିଦେଲେ ଭଲ , ଚାଲୁ ଯେତେ ଦିନ ଯାଏ ଚାଲିବ, ନହେଲେ ବ୍ୟାଙ୍କ ଵାଲା ଆସିକି ନେଇଯିବେ , କାହା ଜୀବନ ତା
ଯିବନି |
ମୋ ସହ ଆପଣ ବୋଧେ
ଏକମତ ହେବେ, ଚାଷୀ ବୋଲି କିଛି ଜୀବିକା ଏବେ ଆଉ ନାହିଁ | ଯା ପାଖରେ ଅଧିକ ଜମି ଅଛି ରେ ବିଲଡ଼ର, ଯା ପାଖରେ କମ ଜମି ଅଛି ସେ
ହେଲା ସାହୁକାର , ଯିଏ ଚାଷ କଲା ସେ ହେଲା ମୁଲିଆ | ଚାଷୀ ଗଲା କୁଆଡେ ? ଯାହାକୁ ଏକଦା ବୀର ଯବାନ ସହ ତୁଳନା କରା ଯାଉଥିଲା ଆଜି
ତା ଅସ୍ତିତ୍ବ ଜଣେ ଗରିବ , ଗାଁ ରେ ରହୁଥିବା ଦିନ ମଜୁରିଆ ରେ ପରିଣତ ହେଇଯାଇଛି | ନିଜକୁ ଦେଶ ର ମେରୁଦଣ୍ଡ କହୁଥିବା ଲୋକ ଆଜି ତା ନିଜ ମେରୁଦଣ୍ଡ କୁ ବି ସିଧା କରିପାରୁନି | କେତେ ଜଣ ଜୀବିକା ପରିବର୍ତନ କରି କରିଲେଣି ତା କେତେ ଜଣ ମୋ ଭଳି ସରକାର ଅନୁକମ୍ପା ର
ଅପବ୍ୟବହାର କଲେଣି | ଚାଷୀ ଜୀବନ ମଝିରେ ଭଲ ରାଜନୀତି ବି କଲା , କୋଉ ନାଚିକା ଲିଙ୍ଗା ଚାଷୀ ମୁଲିଆ ଙ୍କ ନେତା ହେଲାଣି ତ କୋଉଠି ଚାଷୀ ଙ୍କୁ ପୋଲିସ ଦମନ କଲାଣି | ଦିନ ଏମିତି ନ ଆସୁ ଦେଶର ସବୁଠୁ ବଡ଼ କୌଳିକ ବୃତ୍ତି ସେଇ ଏକ ଭାଗ କୋଟି ପତି ମାନଙ୍କ ହାତକୁ ନ
ଚାଲି ଯାଉ ଯୋଉମାନେ ଦେଶ ର ଅଧା ଧାନ କୁ ଗ୍ରାସ କରି ରଖିଛନ୍ତି l