ମୋ ଗାଁ ର
ଅସ୍ଥିତ୍ୱ କୌଣସି ରାଜନୈତିକ ବା ଆର୍ଥିକ କାରଣରୁ ସ୍ୱଚ୍ଛଳ ନୁହେଁ, ଅଛି ଗୋଟିଏ କାରଣ, ଯିଏ କି ମୋ ଗାଁ କୁ କିଛି ପରିମାଣରେ ଲୋକଲୋଚନକୁ
ଆଣିପାରୁଥିଲା, ଝାମୁ ଯାତ୍ରା ,
ଆଖ ପାଖ ସାତ ଖଣ୍ଡ ଗାଁ ରେ
ଥିବା ଏକମାତ୍ର ମଙ୍ଗଳା ମନ୍ଦିର | ପ୍ରତିବର୍ଷ ବୈଶାଖ
ମାସ ରେ ହୁଏ ପଣା ସଂକ୍ରାନ୍ତି ଓ ସେଇଦିନ ହୁଏ ମୋ ଗାଁ ରେ ଝାମୁ ଯାତ୍ରା | ଝାମୁ ଯାତ୍ରା ର କିଛି ଅଂଶ ମୋ ଗାଁ ଭାଷା ରେ |
ମହାନଦୀ ର ଗୋଟେ
ଶାଖା ଯାଏ ମୋ ଗାଁ ଦେଇକି, ତାକୁ 'ଖଳି ' କୁହନ୍ତି ସ୍ଥାନୀୟ ଭାଷା ରେ | ନାମକରଣ କେମିତି ଓ
କେବେ ହେଇଚି ତାହାର କୌଣସି ତଥ୍ୟ ନାହିଁ | ଖଳି କୁ ଲାଗିକି ଅଛି ବିସ୍ତାର ଗୋଚର ଜମି, କିଛି ପଳାସ ଗଛ; ମୋ ପିଲା ଦିନର
କ୍ରିକେଟ ପଡିଆ ଓ ଗାଁ ଝାମୁ ଯାତ୍ରା ର ପାରମ୍ପରିକ ପେଣ୍ଠ ସ୍ଥଳୀ | ଖଳି କୂଳରେ ହଉଥିବ ଯାତ୍ରା କୁ ନେଇକି ସ୍ଥାନୀୟ ଅଂଚଳ
ରେ ଝାମୁ ଯାତ୍ରା ଅପେକ୍ଷା ଖଳି ଯାତ୍ରା ଅଧିକ ଲୋକ ପ୍ରିୟ | ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଆମ ମାନଙ୍କ ପାଇଁ କେବଳ କ୍ୟାଲେଣ୍ଡର
ର ତଥ୍ୟ ଲାଗେ, ଆମ ପାଇଁ କେବଳ ଓ କେବଳ ' ଖଳି ଯାତ୍ରା '
ଯାତ୍ରା ର କିଛି
ପର୍ଯ୍ୟାୟ |
ଖଳି ଯାତ୍ରା :
ମା ମଙ୍ଗଳା ଙ୍କ
ପୂଜା ହୁଏ ଖଳି ପଦା ରେ ଥିବା ଥିବା ବର ଗଛ ତଳେ, ସେଇଠି କାଳେସି (ମନ୍ଦିର ପୂଜକ) ଙ୍କ ଉପରେ
ମା ମଙ୍ଗଳା ବିଜେ ହୁଅନ୍ତି | ଘଣ୍ଟା ଘଣ୍ଟି
ଧ୍ୱନି, ଝୁନା ଦୀପ ର
ଅପୂର୍ବ ମହକ ରେ ଆଧ୍ୟାତ୍ମିକ ହୋଇଯାଏ ଚତୁର୍ପାର୍ଶ୍ୱ , ଅଣ୍ଟା ରେ ଘଣ୍ଟ ମାଳି, ହାତରେ ବେତ ବାଡ଼ି ଧରି ଯେତେ ବେଳେ ମା ଉଭା ହୁଅନ୍ତି
ଦେହ ରେ ଶିହରଣ ହେଇଯାଏ | ଖଳି କୂଳ ରେ
ମାନସିକ ମାଗି ଅଧିଆ (ସ୍ଥାନୀୟ ଭାଷା ରେ 'ଗୁହାରି') ପଡ଼ିଥାନ୍ତି କିଛି
ମହିଳା ପୁରୁଷ | ପୂଜା ସ୍ଥଳୀ ରୁ
ବନ୍ଦ ମୁଠା ରେ କିଛି ଜିନିଷ (ଭୋଗ ସଦୃଶ୍ୟ) ନେଇକି ଦୂର ଦୂର
ପର୍ଯ୍ୟନ୍ତ ଗୁହାରି ପଡିଥିବା
ଭକ୍ତ ମାନଙ୍କୁ ନେଇକି ମା ଦିଅନ୍ତି | ମୁଁ ଯେତେ ପର୍ଯ୍ୟନ୍ତ ଦେଖିଚି , ଯେତେ ଦୂରରେ ବି ଭକ୍ତ ଅଧିଆ ପଡିଥାଉ, କିଛି ପାଣି କୂଳ ରେ ଥାନ୍ତି , କିଛି ଗଛ ତଳେ ତ କିଛି ଚାଷ ଜମି ଭିତରେ; ସେତେ ଦୂର ଯାଇକି ମା ତାଙ୍କୁ ପ୍ରସାଦ ଦେଇଥାନ୍ତି |
ଆଜିକୁ ୧୦ ବର୍ଷ ତଳେ
କୁକୁଡ଼ା, ବୋଦା ବଳି ଦେବାର
ପରମ୍ପରା ବି ଥିଲା, ଯାତ୍ରା ପରା ଦିନ
ସେ ମାଂସ କୁ ପୁରା ଗାଁ ରେ ଭାଗ ବାଣ୍ଟି ପ୍ରସାଦ ହିସାବ ରେ ଦିଆ ହଉଥିଲା | କିନ୍ତୁ ଏବେ ବଳି
ପ୍ରଥା ସମ୍ପୂର୍ଣ ଭାବେ ବନ୍ଦ ହେଇ ଗଲାଣି |
ଏଠି ବହୁତ ଛୋଟ
ପିଲା ମାନଙ୍କର ଚୁଟି ପକେଇବା ପରମ୍ପରା ବି ଅଛି , ଛୋଟ ପିଲା ମାନଙ୍କ ଛୁଟି ଲଣ୍ଡା କରି ଦେବୀ ଙ୍କୁ
ସମର୍ପିତ କରାଯାଏ, କିଛି ଲୋକ ଏହାକୁ
ଛୁଆ ହବା ଦିନରୁ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମନାସୀ ଥିବାରୁ ଏହାକୁ ମାନସିକ କୁହନ୍ତି |
ମୁଁ ଛୋଟ ଥିଲା ବେଳେ ଆଳୁ
ଚାଟ, ମଟର ଘୁଗୁନି, ବେଙ୍ଗ ବାଜା, ପଣା ସର୍ବତ ଦୋକାନ ହିଁ ମୋ ପାଇଁ ଖଳି ଯାତ୍ରା ର ସଜ୍ଞା ବହନ କରୁଥିଲା
ଝାମୁ ଯାତ୍ରା :
ଝାମୁ ଯାତ୍ରା ହୁଏ
ଗାଁ ର ଅଲଗା ପାଖେ ଥିବା ପଦା ଜମି ରେ, ଠିକ ଗ୍ରାମଦେବତୀ
ମନ୍ଦିର କୁ ଲାଗିକି | ଝାମୁ ଯାତ୍ରା ଦିନ
ର କିଛି ଦିନ ପୂର୍ବରୁ ଆରମ୍ଭ ହେଇଯାଏ ପ୍ରସ୍ତୁତି | ୨୦୦ ଫୁଟ ଲମ୍ବା ରେ
ଖୋଳା ଯାଏ ୨ ଫୁଟିଆ ଓସାରିଆ କିଆରୀ , ମଝିରେ
ମଝିରେ ଥାଏ ୩ ଟି କୁଣ୍ଡ |
ପୂଜା ଦିନ ସକାଳୁ ଆଖ ପାଖ
ଗାଁ ରୁ ମା ମାଉସୀ ମାନେ ଆସି ପହଞ୍ଚନ୍ତି ଗ୍ରାମଦେବତୀ ଙ୍କ ପାଖରେ, ସେଠି ପୂଜା କରି ଯାନ୍ତି ସେ ପଦା ଜମି କୁ , ରଙ୍ଗ ମାଟି (ନାଲି ମାଟି) ରେ ଲିପି, ଝୋଟି ପକେଇ ପ୍ରସ୍ତୁତ କରନ୍ତି ସେ ଜମି କୁ ରାତିର ଝାମୁ
ଯାତ୍ରା ପାଇଁ , ତାକୁ 'ଖନ୍ଦା ' କୁହନ୍ତି ସ୍ଥାନୀୟ ଭାଷା ରେ | ଖନ୍ଦା ଲିପିବ ଏକ ଏମିତି ପରମ୍ପରା ଯାହାକୁ କି ଗାଁ କୁ
ଆସିଥିବା ନୂଆ ବୋହୁ ଆଉ ବାହା ହେଇ ଗାଁ ରୁ ପଳେଇଥିବା ଝିଅ ମାନେ ଆସି ଲିପିବା କୁ ଅତ୍ୟନ୍ତ ଶୁଭ
ମନା ଯାଏ |
ଯେଉଁ ସମୟ ରେ ଖଳି
ପଦା ରେ ଠାକୁର ବିଜେ ହବା, ବଳି ଦବା ଆଉ ପୂଜା
ଚାଲିଥାଏ, ସେ ସମୟ ରେ ଝାମୁ
ପଡିଆ ରେ ଆରମ୍ଭ ହୁଏ ପରବର୍ତି ପ୍ରସ୍ତୁତି | କାଠ କୁ ନିଆଁ ଲଗେଇ ବନା ହୁଏ ଲାଲ ଟକ ଟକ
ଜ୍ୱଳନ୍ତ ଅଙ୍ଗାର, ନାଲି ରଙ୍ଗ ର ସେ
ଅଂଗାରା କୁ ନେଇକି ବିଛା ଯାଏ ଖନ୍ଦା ଭିତରେ (୨
ଫୁଟିଆ କିଆରୀ) | କିଆରୀ ମଝିରେ ଥିବା
କୁଣ୍ଡ ଭିତରେ ଢଳାଯାଏ ପାଣି କ୍ଷୀର | ଏଇ ଭିତରେ ଲୋକ ଗହଳି ବଢ଼ିବାରେ ଚାଲେ, ଖଳି ପଦା ରୁ ଦେବୀ ଆସିକି ପହଞ୍ଚନ୍ତି ଝାମୁ ପଦା ରେ |
ଆରମ୍ଭ ହୁଏ ଅଲୌକିକ
ପର୍ଯ୍ୟାୟ , ନାଲି ଟହ ଟହ ନିଆଁ
ରେ ଚାଲନ୍ତି ପ୍ରତ୍ୟକ୍ଷ ଦେବୀ, ଲୋକ ଗହଳି,
ହରିବୋଲ ହୁଳହୁଳି ରେ କମ୍ପି
ଯାଏ ଆକାଶ | ମାନସିକ ପାଇଁ
ଲଣ୍ଡା ହେଇଥିବା ପିଲା ମାନଙ୍କୁ କାଖେଇ ମା ଚାଲନ୍ତି ନିଆଁ ଉପରେ | ପୂଜା ଶେଷ ବେଳକୁ ଝୁଣା ନିଆଁ ଦେଇ ଶାନ୍ତ କରାଯାଏ
ଠାକୁରଙ୍କୁ, କାଳେସି ଙ୍କ ଦେହ
ଛାଡ଼ି ଯେବେ ଠାକୁର ଯାଆନ୍ତି , ଦେହ ଭୟ ରେ ଶିହରି ଉଠେ, ଦେଖିଲେ ଲାଗେ ଯେ ବହୁତ କଷ୍ଟ ହଉଥିବ କାଳେସି ପ୍ରଭୁ
ଙ୍କୁ |
ମେରୁ ଯାତ୍ରା :
ପଣା ସଂକ୍ରାନ୍ତି ର ପୂର୍ବ ଦିନ ହୁଏ ମେରୁ | ୧୮ ଦିନ ଧରି ଚାଲୁଥିବା ପରମ୍ପରା ର ଏହା ଏକ
ଗୁରୁତ୍ୱପୂର୍ଣ ଦିନ | ବାଉଁଶ ପାଟି ତାଟି,
ଜାମୁ ଡାଳ ରେ ତିଆରି ହେଇଥାଏ
ଦେବୀ ଙ୍କର ଅସ୍ଥାୟୀ ଶିବିର |ଗ୍ରାମଦେବତୀ ଙ୍କ
ପାଖରେ ବନିଥିବା ଅସ୍ଥାୟୀ ଟୁଙ୍ଗି ରେ ଜମା ହୁଅନ୍ତି ଘଟୁଆ ଆଉ ଦଣ୍ଡୁଆ ମାନେ | ମଝି ରେ ଗାଁ ପ୍ରଧାନ (ମୁରବି) ଆସିକି ଗାଁ ର ଭବିଷ୍ୟତ,
ବର୍ଷା ର ଆଗନୁମାନ, ସ୍ୱାସ୍ଥ୍ୟ ଓ ସମ୍ପତ୍ତି ବିଷୟରେ ପଚାରନ୍ତି ,
ମା ମଧ୍ୟ ତାର ଉତ୍ତର
ଦିଅନ୍ତି | ଆମ୍ବ ଫୋପଡ଼ା ଗୋଟେ
ପର୍ବ ଥାଏ ଏଥିରେ, ଦେବୀ ଉଭା ହେଲା
ସମୟରେ ଆମ୍ବ ଫୋପଡନ୍ତି | ଗାଲ ରେ ମୁହଁରେ
ଚାଇଁ ଚାଇଁ ହେଇ ମାଡ଼ ହେଇଯାଏ କଞ୍ଚା ଆମ୍ବ,
କିନ୍ତୁ ସେ ପ୍ରସାଦ
ସ୍ୱରୂପ ଆମ୍ବ କୁ ପାଇବା ପାଇଁ ମାଟିରେ ଲୋଟି ଯାନ୍ତି ଆବାଳ ବୃଦ୍ଧବନିତା
|
ଦଣ୍ଡ ନାଚ :
ଆମ ଗାଁ ର ମା
ମଙ୍ଗଳା ଓ ପଡୋଶୀ ଗାଁ ( ଦୁର୍ଗା ପ୍ରସାଦ) ର ମା
ଦକ୍ଷିଣକାଳୀ ଭେଟ ହୁଅନ୍ତି ଦିନେ, ସେ ଦିନ ସତ ଭଉଣୀ ଙ୍କ ପୂଜା ହୁଏ | ଏହି ପର୍ଯ୍ୟାୟ
ଝାମୁ ଯାତ୍ରା ର ସବୁଠାରୁ ବଡ ଅଧ୍ୟାୟ ଥାଏ | ଗାଆଁ ମୁଣ୍ଡ ରେ ଭେଟ ହୁଅନ୍ତି ମଙ୍ଗଳ ମୟୀ ମା ମଙ୍ଗଳା ଆଉ ଉଗ୍ର ରୁପିନୀ ମା କାଳୀ |
ରୋମ ତାଙ୍କରି ହେଇଯାଏ ସେ
ଦୃଶ୍ୟ ଦେଖିଲେ, କୁହାଟ (ଏକ ପ୍ରକାର
ଚିତ୍କାର) ମାରି ଗାଁ ଦାଣ୍ଡ ରେ ଦଉଡନ୍ତି ମଙ୍ଗଳା
ଦକ୍ଷିଣକାଳୀ, ମଶାଲରେ ଝୁଣା ମାରି
ଶାନ୍ତ କରାଯାଏ ଦେବୀ ମାନଙ୍କୁ |
ଆଧୁନିକତା ର ଚାକ
ଚକ୍ୟ ରେ ଯଦିଓ କିଛି ନୂତନ ପରମ୍ପରା ଧସି ଆସିଲାଣି ଦଣ୍ଡ ନାଚ କୁ, କିନ୍ତୁ ଆଜି ପର୍ଯ୍ୟନ୍ତ ପରଭା ନାଚ, ଶିବ ପାର୍ବତୀ ଓ ଶବର ଶବରଣୀ ନାଚ ଦଣ୍ଡ ନାଚ ର ମୁଖ୍ୟ
କେନ୍ଦ୍ର ବିନ୍ଦୁ|
ମନ୍ଦିର ଓ ପୂଜକ:
ଗାଁ ର କୂଳ ଦେବୀ
ଙ୍କ ମନ୍ଦିର କେଉଁ କାଳ ରେ ଅଛି ତାହାର ପ୍ରକୃତ ତଥ୍ୟ ନାହିଁ, ଗଛ ମୂଳ ରେ ଥିବା ଛୋଟ ମନ୍ଦିର କୁ ବାସ୍ତବ ରୂପ ଦେଲେ
ଅବସର ପ୍ରାପ୍ତ ସାମରିକ କର୍ମଚାରୀ ଶିବ ପ୍ରଶାଦ ରାଉତ | ନିଜସ୍ୱ ଧନ ଓ କିଛି ଗ୍ରାମବାସି ଙ୍କ ସାହାଯ୍ୟ ରେ ୨୦୦୭
ମସିହା ରେ ସେ ନିର୍ମାଣ କରିଥିଲେ ସ୍ଥାୟୀ
ମନ୍ଦିର | ତାଙ୍କ ଅବଦାନ
ଅତ୍ୟନ୍ତ ଗୁରୁତ୍ୱପୂର୍ଣ |
ଗୋଟିଏ
ମହତ୍ୱପୂର୍ଣ୍ଣ କଥା କୁ ଲୋକ ଲୋଚନ କୁ ଆଣିବାକୁ ଚାହେଁ ଯେ , ମନ୍ଦିର ର ମୁଖ୍ୟ ପୂଜକ ଓ ମନ୍ଦିର ର ରକ୍ଷଣ ବେକ୍ଷଣ
ରେ ଥିବା ସେବାୟତ ମାନେ କୌଣସି ବ୍ରାହ୍ମଣ,
ମାଳି ସମ୍ପ୍ରଦାୟ ର ନୁହନ୍ତି
| ସେମାନେ 'ତିଅର' ସମ୍ପ୍ରଦାୟ ର, କେଉଟ ସମ୍ପ୍ରଦାୟ ର
ଏକ ଉପ ଜାତି, ସେମାନେ ମୁଖ୍ୟତଃ
ଖଳି ରୁ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରନ୍ତି | ଆଜି ର ଦୁନିଆ ରେ ବହୁତ ଜାଗା ରେ ଛୋଟ -ବଡ଼ , ଜାତି -ଅଜାତି, ଛୁଆଁ - ଅଛୁଆଁ ର ଭେଦ ଭାବ ବହୁତ ମାତ୍ରା ରେ ଦୂର
ହେଇଚି ସତ କିନ୍ତୁ ସମ୍ପୂର୍ଣ ଭାବେ ତାର ସମାପ୍ତି ହେଇଚି କହି ହବନି| ତଥାପି ସେ ଭାବନା ଠାରୁ ଉପରକୁ ଉଠିକି ଆମେ କାଳେସି
ଙ୍କୁ ପୂଜା କରୁ, ତାଙ୍କୁ ଗାଁ ର
କୁଳଦେବୀ ଙ୍କ ମୁଖ୍ୟ ସେବକ ହିସାବରେ ସମ୍ପୃର୍ଣ ରୂପେ ଗ୍ରହଣ କରୁ | ବ୍ୟକ୍ତିଗତ ଭାବରେ ମୋତେ ଏହି ଉଚ୍ଚ ଚିନ୍ତା ଧାରା
ଧର୍ମୀୟ ଭାବନା ଠାରୁ ଉପରେ ଲାଗେ | ଧନ୍ୟବାଦ ଆମ
ପୂର୍ବପୁରୁଷ ଓ ଗୁରୁଜନ ମାନଙ୍କୁ, ସେମାନେ ଆମକୁ ଏପରି
ଏକ ଚିନ୍ତାଧାରା ରେ ଅନୁପ୍ରାଣିତ କରି ପାରିଛନ୍ତି ଓ ମୁଁ ଏହା ବି ଦାବି କରି କହିପାରିବି ଯେ ଏ
ପରମ୍ପରା ମୋ ଗାଁ ରେ ସମୟ ଥିବା ଯାଏ ବଂଚି ରହିବ | ଗାଁ ର ସ୍କୁଲ ଆଉ କ୍ଲବ ବି ଯଥା କ୍ରମେ ମା ମଙ୍ଗଳା
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ମା ମଙ୍ଗଳ ୟୁଥ କ୍ଲବ ନା ରେ ନାମିତ |
ଜୟ ମା ମଙ୍ଗଳା
ଗାଁ : ଗଣଗଣା
ସମିତି: ନରସିଂହପୁର
ଥାନା : କାନପୁର
ଜିଲ୍ଲା : କଟକ
ଓଡ଼ିଶା